ଜନ୍ମମାଟି ଟିଟିଲାଗଡ଼ରେ ହ୍ୟୁମାନଙ୍କୁ ଅଶ୍ରୁଳ ବିଦାୟ

0
9

ଟିଟିଲାଗଡ,୧୮/୧୧(ଜେଏନଏସ),ଓଲିଉଡର ଉଦୟୀମାନ କଣ୍ଠଶିଳ୍ପୀ ସ୍ୱର୍ଗତ ହ୍ୟୁମାନ ସାଗରଙ୍କୁ ତାଙ୍କ ଜନ୍ମମାଟି ଟିଟିଲାଗଡ଼ ସହରରେରେ ଅଗଣିତ ପ୍ରଶଂସକ ଗହଣରେ ଅଶ୍ରୁଳ ବିଦାୟ ଦିଆଯାଇଛି । ମଙ୍ଗଳବାର ଅପରାହ୍ନରେ ହ୍ୟୁମାନଙ୍କ ମରଶରୀର ଟିଟିଲାଗଡ଼ ସହରରେ ପହଞ୍ଚିଥିବା ବେଳେ ପୂର୍ବରୁ ସହର ଉପକଣ୍ଠରେ ଅପେକ୍ଷାରତ ଥିବା ତାଙ୍କ ଶତାଧିକ ପ୍ରଶଂସକ “ହ୍ୟୁମାନ ସାଗର ଅମର ରହେ” ନାରା ସହ ଏକ ବିଶାଳ ରେଲିରେ ତାଙ୍କ ଦେବନ୍ଧ ପଡ଼ା ସ୍ଥିତ ବାସଭବନକୁ ଯାଇଥିଲେ । ହ୍ୟୁମାନଙ୍କ ବାସଭବନ ନିକଟରେ ପ୍ରବଳ ଜନସମାଗମ ଦେଖିବାକୁ ମିଳିଥିଲା।ହ୍ୟୁମାନଙ୍କ ପ୍ରତି ପ୍ରଶଂସକଙ୍କ କେତେ ଭଲପାଇବା ରହିଛି ତାହା ଏହି ବିଶାଳ ଜନସମାଗମରୁ ସ୍ପଷ୍ଟ ବାରି ହେଉଥିଲା । ତାଙ୍କ ଶେଷ ଦର୍ଶନ ପାଇଁ ଟିଟିଲାଗଡ଼ ସହରବାସୀଙ୍କ ସମେତ ବିଭିନ୍ନ ଅଞ୍ଚଳରୁ ବହୁ ଲୋକଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଥିଲା । ଖ୍ରୀଷ୍ଟିଆନ ପରମ୍ପରା ଓ ଧର୍ମ ଅନୁଯାୟୀ ସ୍ଥାନୀୟ ସି.ଏନ୍.ଆଇ. ଚର୍ଚ୍ଚର ପାଷ୍ଟର ଆଚାର୍ଯ୍ୟ ଜ୍ୟୋତି ରଞ୍ଜନ ପାଇକ ହ୍ୟୁମାନଙ୍କ ବାସ ଭବନରେ ପହଞ୍ଚି ପ୍ରାର୍ଥନା କରିଥିଲେ । ପରେ ତାଙ୍କ ପାର୍ଥିବ ଶରୀରକୁ ଏକ ବିଶାଳ ଶୋଭାଯାତ୍ରାରେ ସହର ପରିକ୍ରମା କରାଯାଇ ନେହେରୁନଗର ସ୍ଥିତ ଚର୍ଚ୍ଚକୁ ନିଆଯାଇଥିଲା। ସେଠାରେ ଆୟୋଜିତ ପ୍ରାର୍ଥନା ସଭା ସମାପନ ପରେ ଖ୍ରୀଷ୍ଟିଆନ ରୀତିନୀତି ଅନୁଯାୟୀ କବରଖାନାରେ ତାଙ୍କ ମରଶରୀରକୁ କବର ଦିଆଯାଇଥିଲା । ତାଙ୍କ ଶବାଧାରରେ ଶତାଧିକ ପ୍ରଶଂସକ ସାମିଲ ହୋଇଥିଲେ । ପ୍ରକାଶ ଯୋଗ୍ୟ ଯେ, ମାତ୍ର ୩୪ ବର୍ଷ ବୟସରେ ଆରପାରିକୁ ଚାଲିଯାଇଥିବା ହ୍ୟୁମାନ କମ ବୟସରୁ ଓଡ଼ିଆ ସଙ୍ଗୀତ ଜଗତରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ । କିଛିଦିନ ପୂର୍ବରୁ ସେ ଲିଭର ଜନିତ ସମସ୍ୟା ସହ ଏକାଧିକ ରୋଗରେ ପୀଡ଼ିତ ହୋଇ ଗୁରୁତର ହୋଇପଡ଼ିଥିଲେ। ପ୍ରଥମେ ତାଙ୍କୁ କଟକର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ସ୍ୱାସ୍ଥ୍ୟବସ୍ଥା ଅତ୍ୟଧିକ ଜଟିଳ ହେବାରୁ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ଵର ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ପରଲୋକ ଘଟିଥିଲା। ତାଙ୍କ ବିୟୋଗରେ ବିଭିନ୍ନ ମହଲରୁ ଗଭୀର ଶୋକ ପ୍ରକାଶ ପାଇଥିବା ବେଳେ ଟିଟିଲାଗଡ଼ ବିଧାୟକ ନବୀନ ଜୈନ, ଉପଜିଲ୍ଲାପାଳ ପଦ୍ମନାଭ ସାମନ୍ତରାୟ, ପୌର ଅଧ୍ୟକ୍ଷା ମମତାଦେବୀ ଜୈନ, ସାଂସଦ ପ୍ରତିନିଧି ପ୍ରଶାନ୍ତ ଷଡ଼ଙ୍ଗୀ, ବିଜେଡି ଜିଲ୍ଲା ସଭାପତି ସରୋଜ ମେହେର, ବିଜେଡି ଯୁବନେତା ସିମ୍ରନ୍ ସିଂ ଭୋଇ, ସଇଁତଳା ବ୍ଲକ ଉପାଧ୍ୟକ୍ଷ ଗୁଣ ସାଗର ମାଝୀ, ରାଜ୍ୟ ସରପଞ୍ଚ ସଂଘ କାର୍ଯ୍ୟକାରୀ ସଭାପତି ବୀରବର ସାହୁ, ପୂର୍ବତନ ଡି.ଏ.ଭି. କଲେଜ ଅଧ୍ୟକ୍ଷ ଡ଼.ଶିବ ପ୍ରସାଦ ବେହେରା, କଣ୍ଠ ଶିଳ୍ପୀ ପଙ୍କଜ ଜାଲ, ଚଳଚ୍ଚିତ୍ର ନିର୍ଦ୍ଦେଶକ ଯୁଗଳ ସାହୁ, କଂଗ୍ରେସ ନେତା ବିରେନ୍ଦ୍ର ବାଗ, ଗୁଜରାଟୀ ସମାଜ ଅଧ୍ୟକ୍ଷ ହରିଶ ରାୟଠାଠା ପ୍ରମୁଖଙ୍କ ସହ ବିଭିନ୍ନ ସାମାଜିକ ଅନୁଷ୍ଠାନର ପ୍ରତିନିଧି ତାଙ୍କ ଶେଷ ଦର୍ଶନ କରିଥିଲେ।

LEAVE A REPLY

Please enter your comment!
Please enter your name here